Luke 5

ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ

(ମାଥି. 4:18-22; ମାର୍କ 1:16-20)

1ଦିନେ ଯେତେବେଳେ ଲୋକସମୂହ ତାହାଙ୍କ (ଯୀଶୁଙ୍କ) ଉପରେ ମାଡ଼ିପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ; 2ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ; ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ । 3ସେହି ନୌକାଗୁଡ଼ିକ ମଧ୍ୟରୁ ଯାହା ଶିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ; ଆଉ, ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ ।

4ସେ କଥା ଶେଷ କରି ଶିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ । 5ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି । 6ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା । 7ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ । ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା ।

8କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ । 9କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ; 10ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ଆଶ୍ଚର୍ଯ୍ୟାନ୍ୱିତ ହେଲେ । ପୁଣି, ଯୀଶୁ ଶିମୋନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ । 11ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାହାଙ୍କର ଅନୁଗମନ କଲେ ।

କୁଷ୍ଠୀ ଲୋକଙ୍କ ସୁସ୍ଥତା

(ମାଥି. 8:1-4; ମାର୍କ 1:40-45)

12ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । 13ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ।

14ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର ।

15କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ; 16ମାତ୍ର ସେ କେହି ନ ଥିବା ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ ।

ପକ୍ଷାଘାତ ରୋଗୀର ସୁସ୍ଥତା

(ମାଥି. 9:1-8; ମାର୍କ 2:1-12)

17ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ । ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା ।

18ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ । 19କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ ।

20ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି । 21ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, ଏ ଯେ ଈଶ୍ୱର ନିନ୍ଦା କରୁଅଛି, ଏ କିଏ ? କେବଳ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ ?

22କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଆପଣା ଆପଣା ମନରେ କ’ଣ ତର୍କବିତର୍କ କରୁଅଛ ? 23କ’ଣ ସହଜ ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା ? 24କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ ।

25ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ ।

26ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତିଶୟ ଭୟ କରି କହିଲେ, ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ ।

ଲେବୀଙ୍କ ଆହ୍ୱାନ

(ମାଥି. 9:9-13; ମାର୍କ 2:13-17)

27ଏଥିଉତ୍ତାରେ ସେ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, ମୋହର ଅନୁଗମନ କର । 28ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ ।

29ପୁଣି, ଲେବୀ ନିଜ ଘରେ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି କଲେ, ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ । 30ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ ? 31ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କର ଚିକିତ୍ସକଙ୍କଠାରେ ଆବଶ୍ୟକତା ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକତା ଅଛି । 32ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି ।

ଉପବାସ ପ୍ରସଙ୍ଗ

(ମାଥି. 9:14-17; ମାର୍କ 2:18-22)

33ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି । 34ସେଥିରେ ଯୀଶୁ ସେମାନଙ୍କୁ କହିଲେ, ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇ ପାର ? 35କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ ।

36ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, କେହି ନୂଆ ଲୁଗାରୁ ତାଳି (କାନି) ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି (କାନି) ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ ।

37ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ (ଚମଡ଼ାରେ ତିଆରି ପାତ୍ରରେ) ରଖେ ନାହିଁ; ରଖିଲେ ନୂଆ ଦ୍ରାକ୍ଷାରସ କୁମ୍ଫାକୁ (ଚମଡ଼ାରେ ତିଆରି ପାତ୍ରକୁ) ଫଟାଇ ପଡ଼ିଯିବ, ଆଉ କୁମ୍ଫା (ଚମଡ଼ାରେ ତିଆରି ପାତ୍ର) ନଷ୍ଟ ହେବ । 38. କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ । ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ପୁରୁଣା ତ ଭଲ ।

39

Copyright information for OriULB